ସ୍ୱନକ୍ଷତ୍ର ଦିବସ ପାଳିତ

ସ୍ୱନକ୍ଷତ୍ର ଦିବସ ପାଳିତ

ଆର୍.ସି.ଡି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ “ସ୍ୱନକ୍ଷତ୍ର ଦିବସ” ପାଳିତ: କୃତୀ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ
ନବରଙ୍ଗପୁର, ତା: ୦୭/୦୭/୨୦୨୬
ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ଆର୍.ସି.ଡି ଉଚ୍ଚ ବିଦ୍ୟାଳୟ ପରିସରରେ “ସ୍ୱନକ୍ଷତ୍ର ଦିବସ ୨୦୨୬” ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଉପଲକ୍ଷେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ:
ନିବନ୍ଧ ଲେଖନ: ବିଷୟ – “ସ୍ୱର୍ଣ୍ଣକ୍ଷେତ୍ର ଓ ଓଡ଼ିଆ ସାହିତ୍ୟ”
ବକ୍ତୃତା ପ୍ରତିଯୋଗିତା: ବିଷୟ – “ଓଡ଼ିଆ ଭାଷାର ଗୌରବ”
କବିତା ଆବୃତ୍ତି: ପ୍ରସିଦ୍ଧ ଓଡ଼ିଆ କବିମାନଙ୍କ ରଚନା ଉପରେ आधारित
ସାଧାରଣ ଜ୍ଞାନ (କୁଇଜ୍): ଓଡ଼ିଆ ସାହିତ୍ୟ ଓ ଓଡ଼ିଶା ଇତିହାସ ଆଧାରିତ
ଏହି ସାରସ୍ୱତ ସମାରୋହକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟ ଉପରେ ଆଲୋକପାତ କରିବା ସହ ସାମ୍ପ୍ରତିକ ସମାଜରେ ଏହାର ମହତ୍ତ୍ୱ ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜେମାମଣି ବିଶୋଇ, ଶ୍ରୀ ଜଗଦୀଶ ତ୍ରିପାଠୀ ଏବଂ ଶ୍ରୀ ବିଜୟ ଚୌଧୁରୀ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ।
ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର କର୍ତ୍ତୃପକ୍ଷ ତଥା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଯେଉଁ କୃତୀ ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେମାନେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l
କାର୍ଯ୍ୟକ୍ରମର ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ ସମସ୍ତ ଅତିଥି, ଶିକ୍ଷକ ମଣ୍ଡଳୀ, ସାମ୍ବାଦିକ ଏବଂ ପ୍ରତିଯୋଗୀମାନଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *